Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅନ୍ତେଷ୍ଟି
ମୃତ ସଂସ୍କାର l ମୃତ୍ୟୁପରେ ଶବକୁ ଶ୍ମଶାନକୁ ନିଆଯାଏ l ମଡ଼ାସାଙ୍ଗିଆ ଭାଇମାନେ ମିଶି ଶବ ସଂସ୍କାର କରନ୍ତି ଓ ସ୍ନାନ ଶୌଚ ହୋଇ ଘରକୁ ଫେରନ୍ତି l ସେମାନଙ୍କ ଓଦାଲୁଗା ବାହାରେ ପଡ଼େ ଓ ସେମାନେ ନିମ୍ବପତ୍ର ପାଣି ପିଇବା ପରେ ଘରେ ପଶନ୍ତି l
ଅନ୍ଧପୁଟୁଳି
ଆଖି ଉପରେ ବନ୍ଧାଯିବା ପଟି ବା କପଡ଼ା l ପିଲାମାନେ ଜଣକ ଆଖି ଉପରେ ପଟିବାନ୍ଧନ୍ତି ଓ ତା’ ଚାରିପାଖରେ ରାହା ଧରି ବୁଲନ୍ତି l ଅନ୍ଧପୁଟୁଳି ବନ୍ଧା ହୋଇଥିବା ପିଲାଟି ଶବ୍ଦ ବାରି ବାରି ଅଣ୍ଡାଳି ଅଣ୍ଡାଳି ଯାହାକୁ ଛୁଏଁ, ସେ ଚୋର ହୁଏ l ପୁଣି ତା’ ଆଖିରେ ଅନ୍ଧପୁଟୁଳି ବନ୍ଧାଯାଇ ପୁଣି ସେଇ ଖେଳ ଆରମ୍ଭ ହୁଏ l
କେତେକ ଗୋପନ ସ୍ଥାନକୁ ଜଣକୁ ନେବାବେଳେ ତା’ ଆଖିରେ ଅନ୍ଧପୁଟୁଳି ବାନ୍ଧି ତା’ ନିକଟରେ ସ୍ଥାନ ଓ ପଥର ଗୋପନୀୟତା ରକ୍ଷା କରାଯାଏ l
ଅନ୍ଧୁଣି(ଳି)
ମାଛ ଧରିବା ପାଇଁ ବ୍ୟବହୃତ ବାଉଁଶ କାଠି ବା ନଡ଼ିଆ ଖଡିକାରେ ପ୍ରସ୍ତୁତ ଦେଶୀ ମାଛଧରା ଯନ୍ତ୍ର l ଏହା ଗୋଟାଏ ଛୋଟ ବାକ୍ସ ଆକୃତିର l ହିଡରେ ପାଣି ଯାତାୟାତ କରୁଥିବା ସ୍ଥାନରେ ଏହାକୁ ବସାଯାଏ l ଏହା ଭିତରକୁ ଥିବା ଛୋଟ ବାଟଦେଇ ମାଛ ପଶିଲେ ତହିଁରୁ ବାହାରିବା ସମ୍ଭବ ହୁଏ ନାହିଁ l ଏହାଦ୍ଵାରା ମାଛ ଭିତରେ ରହେ ଓ ଅନ୍ଧୁଳି ବସାଇଥିବା ଲୋକ ଏହାକୁ ଉପରକୁ ଆଣି, ଏହା ଭିତରୁ ମାଛ ବାହାର କରନ୍ତି l
ଅନ୍ନ
ଭାତ l ଜଗନ୍ନାଥଙ୍କ ଅବଢ଼ା,ଅଭଡା l ପ୍ରଭୁଙ୍କୁ ଘିଅଅନ୍ନ, କାନିକା, ଓରିଆ, ପୀତଅନ୍ନ, ରସାବଳୀ ଅନ୍ନ, ଏକବର୍ଣ୍ଣି ଇତ୍ୟାଦି ବିବିଧ ଧରଣର ଅନ୍ନ ନୈବେଦ୍ୟ କରାଯାଏ l
ଅନ୍ନଛତ୍ର
ବଢ଼ି, ମରୁଡ଼ି ପ୍ରଭୃତି ଦୁର୍ବିପାକ ସମୟରେ ଆଶ୍ରିତ, ଅସହାୟ ଓ ବୁଭୁକ୍ଷୁମାନଙ୍କୁ ଦୟାଳୁ ଲୋକେ ରନ୍ଧା ଖାଦ୍ୟ ଦାନ କରନ୍ତି l
ଗୋଟାଏ କୋଠ ଜାଗାରେ ବହୁଲୋକଙ୍କ ପାଇଁ ରୋଷେଇ ହୁଏ ଏବଂ ଭୋକିଲା ଲୋକଙ୍କୁ ଏଠି ରନ୍ଧାଖାଦ୍ୟ ବଣ୍ଟାଯାଏ l
ଅନ୍ନଦାନ
ବଇତ୍ରିଣୀ ବା ଶୁଦ୍ଧଘର କର୍ମରେ ଦାନ ଦିଆ ଯାଉଥିବା ଅନ୍ନ l ଦଶଦାନ ଭିତରେ ଅନ୍ନଦାନ ବା ଭୋଜନଦାନ ଅନ୍ୟତମ ବିଶେଷ ଦାନ l
ଅନ୍ନପ୍ରାଶନ
ପିଲାର ପ୍ରଥମ ଖିରିଚଟା ଉତ୍ସବ l ନୂଆ ଥାଳିଆରେ, ଅରୁଆ ଚାଉଳର ଖିରିକରି ପିଲାକୁ ଖୋଇ ଦିଆଯାଏ lଏହା ହେଉଛି ଶିଶୁର ପ୍ରଥମ ଅନ୍ନ ଆହାର କରିବାର ସଂସ୍କାର l ଏହା ଖିରିଖିଆ ରୂପେ ପରିଚିତ l
ଅପରା ଏକାଦଶୀ
ଜ୍ୟେଷ୍ଠମାସ କୃଷ୍ଣପକ୍ଷର ଏଇ ଏକାଦଶୀ ଜଳକ୍ରୀଡ଼ା ଏକାଦଶୀ ଭାବରେ ଖ୍ୟାତ l ଏଇଦିନ ଶ୍ରୀମନ୍ଦିର ବେଢ଼ାରେ ଜଳକ୍ରୀଡ଼ା ମଣ୍ଡପରେ ମଦନମୋହନଙ୍କ ଜଳଲାଗି ଉତ୍ସବ ପାଳିତ ହୁଏ l ଏଇ ଏକାଦଶୀ ପାଳନ ଦ୍ଵାରା ଯାବତୀୟ ପାପ ଖଣ୍ଡିତ ହୋଇଥାଏ l
ଅପର୍ତ୍ତିଆଣି
ପ୍ରଥମ କେତୋଟି ସନ୍ତାନ ମରିଯିବା ପରେ ପରବର୍ତ୍ତୀ ସନ୍ତାନ ମଧ୍ୟ ମରିଯିବ ବୋଲି ଆଶଙ୍କା ଥାଏ l ମାତ୍ର ଯେଉଁ ସନ୍ତାନଟି କୌଣସି ପ୍ରକାରେ ବଂଚି ରହେ, ତାକୁ ଅପର୍ତ୍ତିଆଣି କୁହାଯାଏ l ଏପରି ସନ୍ତାନ ପ୍ରତି ଅଧିକ ସ୍ନେହ ଥାଏ l ଯମ ହାବୁଡ଼ରୁ ଏହାକୁ ବଂଚାଇବା ନିମିତ୍ତ କେହି କେହି ଏହାକୁ କୌଣସି ଦେବ ଦେବୀଙ୍କୁ ବିକ୍ରି କରି ଦେଇଥାନ୍ତି l କେହି କେହି ଏହାର ଶରୀରରେ ମଧ୍ୟ କ୍ଷତ ସୃଷ୍ଟି କରନ୍ତି l ଚଡୁଦାଗ ଏବଂ କାନଫୋଡ଼ା ଇତ୍ୟାଦି ଏହାର ଦୃଷ୍ଟାନ୍ତ l
ଅପର୍ତ୍ତିବାହା
ଆଦିବାସୀ ସମାଜରେ ଅନୁଷ୍ଠିତ ଏକ ପ୍ରକାର ବିବାହ l ଏଥିରେ କନ୍ୟାକୁ ବର ଜୋର୍ ଜବରଦସ୍ତି ଉଠାଇ ଆଣେ l
ଅପାଳକ
ଚାଷ ପାଇଁ ନଥିବା ଉପଯୁକ୍ତ ପାଣିପାଗ l ବର୍ଷା ଅଭାବରୁ ଶସ୍ୟହାନି l ଉପଯୁକ୍ତ ପରିମାଣଠାରୁ ଅଧିକବର୍ଷା ହେଲେ ଧୋଇ ଏବଂ ଅଳ୍ପବର୍ଷା ହେଲେ ମରୁଡ଼ି ହୁଏ l ଏହାକୁ ଅପାଳକ କୁହାଯାଏ l
ଅଫିମ
ନିଶାଦ୍ରବ୍ୟ l ଅଫିମଗଛର ଫଳ ବା ବକଡ଼ାରୁ ଏହା ବାହାରିଥାଏ l
ଅବଖୁରା
ଛୋଟ ଗଡୁ l ଖାଇବା ସମୟରେ ପାଣି ପିଇବା ନିମିତ୍ତ ଏହାକୁ ଜଳପାତ୍ର ରୂପେ ବ୍ୟବହାର କରାଯାଏ l
ଅବଢ଼ା
ଅଭଡ଼ା ମଧ୍ୟ କୁହାଯାଏ l ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦକୁ କୁଡୁଆରେ ଖାଇବା ବିଧି l ଏହା ବଢ଼ା ଯାଉନଥିବାରୁ ସମ୍ଭବତଃ ଏହାକୁ ଅବଢ଼ା କୁହାଯାଏ l ଗ୍ରାମ୍ୟ ପରିବେଶରେ ଅବଢ଼ା ଦିଆନିଆ ହୋଇ ପରସ୍ପର ମିତ ବସନ୍ତି ଓ ପରସ୍ପରକୁ ‘ଅଭଡା’ ବୋଲି ସଂବୋଧନ କରନ୍ତି l
ଅବତାର
ଦେବତା ବିଭିନ୍ନ ରୂପ ଗ୍ରହଣ କରି ମର୍ତ୍ତ୍ୟରେ ଜନ୍ମ ନେଇଥାନ୍ତି l ରାମ, କୃଷ୍ଣ ଇତ୍ୟାଦିଙ୍କୁ ଅବତାର ଭାବରେ ଗ୍ରହଣ କରାଯାଏ l ମୀନ, କଚ୍ଛପ, ବରାହ, ଶୂକର, ବାମନ, ରାମ, ବଳରାମ, ପର୍ଶୁରାମ, ବୁଦ୍ଧ ଓ କଳ୍କୀଙ୍କୁ ଦଶ ଅବତାର ଭାବରେ ଗ୍ରହଣ କରାଯାଏ l ମୂର୍ତ୍ତିରୂପରେ ଦିଅଁଙ୍କ ଅବତାରମାନଙ୍କୁ ପୂଜା କରାଯାଏ l
ଅବଧାନ
ଚାଟଶାଳୀ ଗୁରୁ l ପାରମ୍ପରିକ ଶିକ୍ଷାବ୍ୟବସ୍ଥାର ପ୍ରାଥମିକ ଶିକ୍ଷକ l ଏମାନଙ୍କ ଚାହାଳିରେ ଶିକ୍ଷାର୍ଥୀମାନେ ବିଦ୍ୟାଶିକ୍ଷା କରନ୍ତି l ମାଟି ବଂଶରେ ଜନ୍ମିତ ଅବଧାନଙ୍କୁ ମାଟିଆ ଅବଧାନ କହନ୍ତି l ଏମାନଙ୍କୁ ମଧ୍ୟ ‘ଆପଣେ’ ବୋଲି ସଂବୋଧନ କରାଯାଏ l ଏମାନେ ସକାଳବେଳା ପଣକିଆ ଓ ଗଣିତ ପଢ଼ାନ୍ତି, ଉପରବେଳା ଫଳା ବୋଲାନ୍ତି l
ଅବିର
ଫଗୁଗୁଣ୍ଡ l ଦୋଳଗୋବିନ୍ଦଙ୍କୁ ଦୋଳ ସମୟରେ ଏହା ଲାଗି କରାଯାଏ ଏବଂ ଲୋକେ ପରସ୍ପରକୁ ଏଇ ଗୁଣ୍ଡ ଫିଙ୍ଗାଫିଙ୍ଗି ହୋଇ ହୋଲି ଖେଳନ୍ତି l
ଅଭଡ଼ା
୧. ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ l ୨. ମହାପ୍ରସାଦ ଦେଇ ପରସ୍ପର ବନ୍ଧୁ ବସିବା ଓ ଅଭଡ଼ା ଡକାଡକି ହେବା l
ଅଭଡାକୁଡୁଆ
ଅନ୍ନ ମହାପ୍ରସାଦ ରନ୍ଧା ଓ ରଖାଯାଉଥିବା ମାଟି ହାଣ୍ଡି l
ଅଭିଆଡ଼ା