Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଆଇଖାଡ଼ି
ଦହି ମନ୍ଥିବା ପାଇଁ ବ୍ୟବହୃତ ବାଡ଼ି l ଦହିଖୁଆ, ଦହିଗୋଳା l ତଳଭାଗରେ ଧାରଥିବା କାଠ ଚକି ଉପରେ ଗୋଟିଏ ଗୋଲାକାର କାଠଦଣ୍ଡ ଲାଗିଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ସ୍ଥଳ ବିଶେଷରେ ମୁଠାଏ ନଡ଼ିଆ ଖଡ଼ିକାକୁ ସରୁକାଠିଦ୍ଵାରା ଚାରିଭାଗ କରାଯାଇଥାଏ l ଉପର ଅଂଶକୁ ସରୁ କତା ରସିରେ ଭଲ ଭାବରେ ବନ୍ଧାଯାଇଥାଏ l ଏହାକୁ ଘୂରାଇଲେ ଦହି ମନ୍ଥାଯାଏ l ଏହାକୁ ସ୍ଥଳ ବିଶେଷରେ ରହଡ଼ାଙ୍ଗ କୁହାଯାଏ l
ଆଇଗିଣିଆ
ଆମିଷ ପରି ସୁଆଦ ଥିବା ଖାଦ୍ୟ, ଆଇଁଷ ପରି ଗନ୍ଧ ହେଉଥିବା ପଦାର୍ଥ l
ଆଇଁଷ
ଆମିଷ l ମାଛ, ମାଂସ, ଅଣ୍ଡା ପ୍ରଭୃତି ସହିତ ବିରି, ପିଆଜ, ରସୁଣକୁ ମଧ୍ୟ ପୂଜାପାର୍ବଣ ସମୟରେ ନିଷିଦ୍ଧ କରାଯାଉଥିବା ଖାଦ୍ୟପଦାର୍ଥ l
ଆଇଁଷଧୁଆ
ମାଛ, ଶୁଖୁଆଦି ଧୋଇବା ପାଇଁ ବ୍ୟବହୃତ ବାଉଁଶ ପାତିଆ ତିଆରି ପାଚିଆ l
ଆଈ
ବୋଉଙ୍କର ବୋଉ l ମାଆଙ୍କ ମାଆ l
ଆଉଁରିଆ ଘାସ
ଏକ ପ୍ରକାରର ରଗଡ଼ା ଘାସ l ଏହାକୁ ମାଡ଼ିଲେ ଲୋକେ ଚଲାବାଟ ଭୁଲିଯାଆନ୍ତି ବୋଲି ଲୋକ ବିଶ୍ଵାସ ରହିଛି l
ଆକତା
ଅଣନିଶ୍ଵାସୀ ହେବା l
ଆକାମାବୈ
ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ – ଏଇ ଚାରିମାସର ପ୍ରଥମ ଅକ୍ଷର l ଏଇ ଚାରିମାସ ବର୍ଷର ପୁଣ୍ୟମାସ l ଆମର କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଏଇ କଥା କୁହାଯାଏ l ମୁଖ୍ୟଃତ ଏଇ ଚାରି ମାସରେ ଚକୁଳିଆ ପଣ୍ଡାମାନେ ଗାଁ ଗାଁ ବୁଲି ଭିକ୍ଷା କରନ୍ତି ଓ ଏଇ ଚାରି ମାସରେ ପୁଣ୍ୟପ୍ରାପ୍ତି ନିମିତ୍ତ ଦାନ ଧ୍ୟାନାଦି କରାଯାଏ l
ଆକାଶଦୀପ
କାର୍ତ୍ତିକ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚଉରାମୂଳେ ପୋତାଯାଉଥିବା ବାଉଁଶ ଉପରକୁ ଉଠାଯାଉଥିବା ଘିଅଦୀପ l ଗୋଟିଏ ଛିଦ୍ରଥିବା ମାଟିହାଣ୍ଡିରେ ତଳେ ବାଲି ଓ ଗୋବର ରଖାଯାଇ ଏହା ଉପରେ ଦୀପ ରଖାଯାଏ l ଏହାକୁ ଏକ ଶିକାରେ ରଖି, ବାଉଁଶ ଅଗରେ ଥିବା ଶଗଡ଼ିରେ ଦଉଡ଼ା ଲଗାଯାଇ ଏଇ ଦୀପ ଉପରକୁ ଉଠାଯାଏ l ସଂପୃକ୍ତ ହାଣ୍ଡି ଆକାଶହାଣ୍ଡି, ବାଉଁଶ ଆକାଶବାଉଁଶ ରୂପେ ପରିଚିତ l ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଭଳି ଦୀପଦାନ ବିଧି ରହିଛି l
ଆକାଶବାଉଁଶ
୧. କାର୍ତ୍ତିକ ମାସରେ ଆକାଶଦୀପ ଦେବାପାଇଁ ଚଉରା ମୂଳରେ ପୋତା ଯାଉଥିବା ଉଚ୍ଚବାଉଁଶ l
୨. ବାଉଁଶରାଣୀ ଖେଳରେ ଖେଳ ଦେଖାଇବା ପାଇଁ ପୋତାଯାଇଥିବା ବାଉଁଶ l
ଆକାଶମଲ୍ଲୀ
ଏକ ପ୍ରକାରର ବାଣ, ଯାହା ଅତି ଉପରକୁ ଉଠେ ଓ ଉଜ୍ଜ୍ଵଳ ଆଲୋକ ପ୍ରଦାନ କରେ l
ଆଖଡ଼ା
ଆଖେଡ଼ା l ମଲ୍ଲଶାଳା, ସଭା, ଦରବାର, ରଙ୍ଗଶାଳା, ରଙ୍ଗଭୂମି, ନୃତ୍ୟଶାଳା l ଆଖଡା ପିଲାକୁ ଗୋଟିପୁଅ କୁହାଯାଏ l ଆଖଡ଼ା ଏକ ପାରମ୍ପରିକ ପ୍ରତିଷ୍ଠାନ, ଏହା ଅଧୀନରେ କେତୋଟି ଜାଗାଘର ଥାଏ l ଆଖଡ଼ାରେ କୁସ୍ତି, କସରତ, ନାଟ ତାମସା ଇତ୍ୟାଦି ପ୍ରଶିକ୍ଷଣ କରାଯାଏ l
ଆଖଡ଼ାଗୁରୁ
ଆଖଡ଼ାଶିକ୍ଷକ, ନୃତ୍ୟଗୁରୁ, ଓସ୍ତାଦ୍, ନିର୍ଦ୍ଦେଶକ l
ଆଖଡ଼ାଘର
ନାଚ, ଗୀତ, ବାଦ୍ୟ, ବ୍ୟାୟାମ ଇତ୍ୟାଦିର ଶିକ୍ଷାକେନ୍ଦ୍ର l
ଆଖିଡ଼ି
ଡଙ୍ଗା ଯାତ୍ରୀଙ୍କ ଗୋଡ଼ରେ ପାଣି ନଲାଗିଵା ପାଇଁ ଡ଼ଙ୍ଗାର ତଳେ ପଡିଥିବା ତଲେଇ l
ଆଗ ପତରିଆ
୧. ପଂକ୍ତି ଭୋଜନ ବେଳେ ପ୍ରଥମେ ପଡ଼ିଥିବା ପତ୍ରରେ ଖାଦ୍ୟ ପରିବେଷଣ l ୨. ସମାଜର ମୁଖ୍ୟବ୍ୟକ୍ତି l
ଆଗାଡ଼ିଭାର
ବିବାହ ପାଇଁ ବର ଶଶୁର ଘର ବା କନ୍ୟାଘରକୁ ଯିବା ପୂର୍ବରୁ, ବରପକ୍ଷରୁ କନ୍ୟାଘରକୁ ପଠାଯାଉଥିବା ଆଗୁଆ ଭାର ସାମଗ୍ରୀ l
ଆଗୁଆଣିସେନା
ଯୁଦ୍ଧ ସମୟରେ ଶତ୍ରୁ ପକ୍ଷକୁ ଦମନ କରିବା ନିମିତ୍ତ ଯାଉଥିବା ପ୍ରଥମ ଅଭିଯାତ୍ରୀ ସୈନ୍ୟଦଳ l
ଆଗୁଆଳି
କୁରାଢ଼ିର ଧାରପଟ l
ଆଙ୍କୁ