भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପୁଅବାର

ପଶାଖେଳରେ ଦୁଇଟି ପଶାକାଠିରେ ଛଅ ସଂଖ୍ୟକ ଦାନ ଓ ଗୋଟିଏ ପଶାକାଠିରେ ଏକ ସଂଖ୍ୟକ ଦାନ, ଯାହା ପଡିଲେ ଖେଳର ଗୋଟି ଚାଳନା ଆରମ୍ଭ ହୁଏ l

ପୁଅବ୍ରାହ୍ମଣ

ରାଜାଙ୍କ ମୃତ୍ୟୁ ପରେ, ରାଜପୁତ୍ର ଶିଶୁଥିଲେ, ରାଜପୁତ୍ରଙ୍କ ପ୍ରତିନିଧି ସ୍ୱରୂପ ମୃତ ରାଜାଙ୍କର ଶବ ସତ୍କାର, ଅଶୌଚ ପାଳନାଦି କର୍ମମାନ କରୁଥିବା ବ୍ରାହ୍ମଣ l କାରଣ ଏତେବେଳେ ରାଜପୁତ୍ରଙ୍କ ସିଂହାସନ ଆରୋହଣ ଭଳି ମଙ୍ଗଳ କାର୍ଯ୍ୟମାନ ସଂପନ୍ନ ହୋଇ ନଥାଏ l

ପୁଆ

୧. କଦଳୀ ବା ବାଉଁଶ ଗଛର ମୂଳରୁ ବାହାରୁ ଥିବା ନୂଆ ଛୋଟ ଗଛ ବା ଗଜା ଗଛ l ଏହାକୁ ମୂଳରୁ ତାଡି ଅନ୍ୟତ୍ର ପୋତିଲେ ନୂଆ ଗଛ ହୁଏ l ୨. କୁଆଁ ଗଛର ଡାଳରୁ ବାହାରୁଥିବା ନୂଆ କେନା l ୩. ଘିଅ ଛଣା ଏକ ପ୍ରକାର ପିଠା l ୪. ଖଲ ବା ଶିଳାରେ ମସଲା ବାଟିବାର ଗୋଲାକୃତି ଲମ୍ବଡା ଓ ଚିକ୍କଣ ପଥରଖଣ୍ଡ, ଯାହାକୁ ମସଲା ଉପରେ ରଖି ଘୋରାଯାଏ l ୫. ଡାବର ପୁଆ ଖେଳର ଛୋଟ କାଠିଖଣ୍ଡି, ଯାହାକୁ ବଡ ବାଡି ସାହାଯ୍ୟରେ ଦୂରକୁ ଫିଙ୍ଗାଯାଏ l ୬. ଆଖୁ ପେଡା ଖାଇଲେ ଘୂରୁଥିବା ଦୁଇ ଶକ୍ତ କାଠ ବାଡି, ଯାହା ସନ୍ଧିରେ ଆଖୁଦଣ୍ଡ ଭର୍ତ୍ତି କଲେ ଏହାର ଚାପରେ ଆଖୁରୁ ଦୋରୁଅ ବାହାରେ l ୭. ହେମାଦସ୍ତାର ପାହୁରାଣୀ l ୮. ଢିଙ୍କିର ସମଲଗା ପାହାର l ୯. ପାଆକିଆ ପାଇଲି, ଯେଉଁଥିରେ ଏକ ସେରର ଚଉଠାଂଶ ମାପ କରାଯାଏ l

ପୁଆଁଇବା

ଶୀତଦାଉରୁ ରକ୍ଷା ପାଇବା ନିମିତ୍ତ କଅଁଳ ଖରା, ଅଥବା ନିଆଁ ଧାସ ନିକଟରେ ଉଷୁମ ଟାଣିବା l

ପୁଆଣୀ

ପ୍ରଥମ ଥର କନ୍ୟାଟି ବୋହୂ ରୂପରେ ଶାଶୁଘରକୁ ଯିବା l

ପୁଆଣୀଘର

ପିଲାକନିଆଁ ବାହା ହେବା ପରେ ରଜସ୍ୱଳା ହୋଇ ସ୍ୱାମୀ ଘରକୁ ଆସିବା ଓ ସ୍ୱାମୀ ସହିତ ପ୍ରଥମ, ମିଳନ ରୂପକ ଅନୁଷ୍ଠାନ l ପ୍ରଥମଥର ପାଇଁ ବିବାହିତାର ଶାଶୁଘର ଆଗମନ ଓ ବନ୍ଦାପନା ଉତ୍ସବ l

ପୁଆତୀ

ଆସନ୍ନ ପ୍ରସବା ଗର୍ଭବତୀନାରୀ l

ପୁଆର

ବଣିଆ ଠସା ଉପରେ ସୁନା ରୁପାର ପାତକୁ କାଟିବା ନିମିତ୍ତ ବ୍ୟବହାର କରୁଥିବା ଧାରୁଆ ଛୋଟ ଛେଣି l

ପୁଆରି

ଧାରୁଆ ଛୋଟ ନିହଣ ବା ତାଗୀ l ଏହା ମୂଳରେ କାଠ ବା ବାଉଁଶର ବେଣ୍ଟ ଥାଏ ଓ ଏହାକୁ ମାର୍ତ୍ତୁଲରେ ପିଟିଲେ କାଠ କଟାଯାଏ ଓ ଖୋଦେଇ ହୁଏ l

ପୁଗୁଲି

ସ୍ତ୍ରୀ ନାମରେ ରଖାଯାଇଥିବା ସଂପତ୍ତି, ଏଥିରୁ ସ୍ୱାମୀଙ୍କ ଭାଇମାନେ କୌଣସି ବାଣ୍ଟ ପାଇ ପାରନ୍ତି ନାହିଁ l

ପୁଙ୍ଗି

ସାପୁଆ କେଳା ବଜାଉଥିବା ଲାଉଖୋଳରେ ପ୍ରସ୍ତୁତ ସରୁମୁହଁଥିବା ପେଟୁଆ ମହୁରୀ l ଏହାର ମୂଳକୁ କେଳା ପାଟିରେ ଦେଇ ଫୁଙ୍କ ଦିଏ ଓ ଆଗରେ ଥିବା ରନ୍ଧ୍ରରେ ଅଙ୍ଗୁଳି ଚାଳନା କରି ସ୍ୱର ସଂଯୋଜନା କରେ l

ପୁଚିଖେଳ

ବାଳିକାମାନଙ୍କର ନାଚକୁଦର ଏକ ଖେଳ l ବସିକରି ଦୁଇ ଗୋଡ ଚଳାଇଲେ ଏହା ପୁଚି, ଠିଆ ହୋଇ ପାଦ ପ୍ରସାରଣ ଓ ସଂକୋଚନ କରି ନର୍ତ୍ତନ କଲେ ଏହା ଠିଆପୁଚି l ପୁଚି ଖେଳରେ ବାଳିକାମାନେ ବିଭିନ୍ନ ପ୍ରକାରର ଅଙ୍ଗଭଙ୍ଗୀ କରିବା ସହିତ ବିଭିନ୍ନ ଗୀତ ମଧ୍ୟ ଗାଇଥାନ୍ତି l ବେଳେବେଳେ ଏଇ ଖେଳରେ ଦୁଇଦଳ ବାଳିକାଙ୍କର ଲଢେଇ ହୁଏ l ପୁଚିଗୀତରେ ବୋଲାଯାଏ- ଠିଆ ପୁଚି ନାରଙ୍ଗ, ଗୋଡ ଦୁଇଟି ସାରଙ୍ଗ l ସାରଙ୍ଗ ବଣକୁ ଯାଇଥିଲି, ସାରଙ୍ଗ ଶୁଖୁଆ ଆଣିଥିଲି, ଅଧେ କଲି ଭଜା, ମୋ ଭାଇଟି ରଜା l

ପୁଚୁରା

୧. କାନ୍ଥ ଧଉଳାଇବା ପାଇଁ କନା ବା ଝୋଟରେ ତିଆରି ପୋଛ; ଏହାର ଅଗକୁ ଚୂନପାଣିରେ ବୁଡାଇ, ମୂଳକୁ ଧରି କାନ୍ଥ ଧଉଳା ଯାଏ l ୩. ଶଗଡ ପହିଆ ଓ ଝାମା ମଧ୍ୟରେ ଥିବା ଫାଟ ସନ୍ଧିରେ ମରାଯିବା ପତଳା କାଠ ବା ବାଉଁଶ ଖିଲ l

ପୁଞ୍ଜାଏ

ଚାରିଟି କରି, ଚାରି ସଂଖ୍ୟାର ସମାହାର l

ପୁଞ୍ଜିକିଆର

ଅଧିକ ପାଣି ଥିବା ହେତୁ ଯେଉଁ ଧାନକ୍ଷେତରେ ପୁଞ୍ଜା ପୁଞ୍ଜା କରି ଧାନ ବିହନ ବୁଣାଯାଏ l

ପୁଟ

୧. ଲୁଗା ବା ପୋଷାକର ଭାବ, ସ୍ତର l ୨. ଘୋଡଣି, ଢାଙ୍କୁଣି l ୩. ଗୋଲାକାର ଗଭୀର ପାତ୍ର l ୪. ଖୋଳ ବା ଖୋପ l ୫. ଥଳି, ମୁଣା l ୬. ପତ୍ର ତିଆରି ଠୋଲା, ଚଉପଦୀ, ଦନା l ୭. ଗଣ୍ଠିଲି, ପୁଡା, ପୋଟଳା, ବୋକଚା l ୮. କୋଇ ବା ଧାତୁ ଆଉଟିବା ଛୋଟ ମାଟିପାତ୍ର l ୯. ଡବା ବା କାଠ ଫରୁଆ l ୧୦. କୌପୀନ l ୧୧. ପୋଡିବା ବା ଶୁଖାଇବା ପାଇଁ ନିଆଁ ବା ଖରା ତାପର ଗୋଟିଏ ଥର ପ୍ରୟୋଗ l ୧୨. ଧାତୁ ଆଉଟିବା ପାଇଁ ବ୍ୟବହୃତ ଦ୍ରାବକ l ୧୩. ବର୍ଷକର ଚାଷ ପାଇଁ ଅନ୍ୟର ବଳଦକୁ ଭଡାରେ ଆଣିବା ରୀତି l ୧୪. ଗାଈ, ମଇଁଷି, ବଳଦ, ପୋଢ ପ୍ରଭୃତିକୁ ନିର୍ଦ୍ଦିଷ୍ଟ କେତେଦିନ ମାସ ବା ବର୍ଷ ପାଇଁ ବନ୍ଧକ ଦେଇ କରଜ ଆଣିବା l

ପୁଟପାକ

୧. ଦୁଇହାଣ୍ଡି ମୁହଁକୁ ଏକାଠି ମିଶାଇ ଏହା ମଧ୍ୟରେ ବିଭିନ୍ନ ଔଷଧ ପ୍ରସ୍ତୁତି ପ୍ରକ୍ରିୟା । ୨. ମାଟି ବା ଗୋବର ପିଣ୍ଡୁଳା ଭିତରେ ଔଷଧୀୟ ଦ୍ରବ୍ୟ ପୂରାଇ, ଏହାକୁ ପୋଡ଼ିବା ପ୍ରକ୍ରିୟା । ୩. ବିବିଧ ଔଷଧୀୟ ଦ୍ରବ୍ୟକୁ ଭଲ ଭାବରେ ଧୋଇ, ଏହାକୁ ଜାମୁ, ଗମ୍ଭାରି ଓ ବରପତ୍ର ବେଢାଇ ଏଇ ପୁଡା ଉପରେ ପ୍ରାୟ ଦେଢ ବା ଦୁଇ ଆଙ୍ଗୁଳ ମାଟି ଗୋବରର ଲେପ ଦିଆଯାଏ । ପରେ ପରେ ଏହାକୁ ଜଳନ୍ତା ନିଆଁରେ ପୋଡାଯାଏ । ନିଆଁରୁ ବାହାରିବା ପରେ ଏହାର ରସ ନିଗାଡି ବାହାର କରାଯାଏ ।

ପୁଟି

୧. ଶଗଡ ଚକର ପରିଧିରେ ଯୋଡା ହୋଇଥିବା ଅର୍ଦ୍ଧ ବୃତ୍ତାକାର କାଠଖଣ୍ଡ, ଶଗଡ ଚକ ପରିଧି ତିଆରିରେ ଲାଗୁଥିବା ବଙ୍କାଳିଆ ଯୋଡକାଠ l ୨. କଟକୀ ୮ ସେରିଆ ନଉତିରେ ୫ ନଉତି ମାପର ପରିମାଣ l

ପୁଟିଣ୍

ଚକ୍‌ଗୁଣ୍ଡ ଓ ଝୁଣା ମିଶା ଚୂନା ଯାହାକୁ ମହମ ଦେଇ ରାନ୍ଧିଲେ ଅଠାଳିଆ ପଦାର୍ଥ ବାହାରେ l କାଠର କଣା ଇତ୍ୟାଦିରେ ଏହାକୁ ଦେଇ କଣା ଫାଟ ବନ୍ଦ କରାଯାଏ l ପୁଟିଣ୍ ସାଦାପୁଟୁଣି ଓ ରନ୍ଧାପୁଟୁଣି କାଦୁଆ ମାତ୍ର ରନ୍ଧା ପୁଟୁଣିକୁ ନିଆଁରେ ତତାଇ ଉଷୁମ ଥିବା ଅବସ୍ଥାରେ କାଠ ସନ୍ଧିରେ ଦେଲେ ସନ୍ଧି ମରିଯାଏ l

ପୁଡା

୧. ଛୋଟ ଶସ୍ୟଓଳିଆ l ୨. ଜାଉଁଳି କବାଟର ଏକପଟ ଫାଳ l ୩. ବିବିଧ ଜିନିଷ ବନ୍ଧା ହୋଇଥିବା ପୁଟୁଳା l ୪. ଦିଅଁଙ୍କୁ ପ୍ରଦତ୍ତ ସଞ୍ଚା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App